1.ପବିତ୍ରଶାସ୍ତ୍ର-ବାଇବଲ
ଆମେ ବିଶ୍ୱାସ କରୁ ଯେ ପରମେଶ୍ୱର ବାଇବଲ ମାଧ୍ୟମରେ ଆପଣାକୁ ପ୍ରକାଶ କରିଛନ୍ତି, ଯେଉଁଥିରେ ପୁରାତନ ଏବଂ ନୂତନ ନିୟମର 66ଟି ପୁସ୍ତକ ଅଛି। ବାଇବଲ ହେଉଛି ସମ୍ପୂର୍ଣ୍ଣ ଭାବରେ, ଅନନ୍ୟ ଭାବରେ ଏବଂ ଅଲୌକିକ ଭାବରେ ପରମେଶ୍ୱରଙ୍କ ବାକ୍ୟ ଅଟେ (2 ତୀମଥି 3: 16)। ଏହା ପବିତ୍ର ଆତ୍ମାଙ୍କ ଅନୁପ୍ରେରଣା ମାଧ୍ୟମରେ ମନୁଷ୍ୟମାନଙ୍କ ଦ୍ଵାରା ଲିଖିତ ହୋଇଛି (2 ପିତର 1: 20-21)। କାରଣ ଆମେ ସୀମିତ ଏବଂ ପାପୀ ମଣିଷ ଅଟୁ ଆମେ ପରମେଶ୍ୱରଙ୍କ ସତ୍ୟକୁ ସମ୍ପୂର୍ଣ୍ଣ ରୂପେ ଜାଣିପାରିବା ନାହିଁ, କିନ୍ତୁ ପବିତ୍ର ଆତ୍ମାଙ୍କ ଆଲୋକନ କାର୍ଯ୍ୟ ସାହାଯ୍ୟରେ ଆମେ ବାଇବଲରେ ପ୍ରକାଶିତ ପରମେଶ୍ୱରଙ୍କ ସତ୍ୟକୁ ବାସ୍ତବରେ ଜାଣିପାରିବା (ଗୀତସଂହିତା 119:18; 1 କରିନ୍ଥୀୟ 2:12)। ବାଇବଲ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ବିଶ୍ଵାସ ଏବଂ ଜୀବନ ପାଇଁ ଏକମାତ୍ର ଅଭ୍ରାନ୍ତ, ପର୍ଯ୍ୟାପ୍ତ, ପ୍ରାଧିକୃତ ଏବଂ ଅନ୍ତିମ ନିୟମ ଅଟେ (ଗୀତସଂହିତା 19: 7; ଯିଶାଇୟ 55: 10–11; ମାଥିଉ 24:35)। ତେଣୁ, ବାଇବଲର ସମ୍ପୂର୍ଣ୍ଣ ଏବଂ ଅନ୍ତିମ ପ୍ରକାଶନ ଅତିରିକ୍ତ ଅନ୍ୟ କୌଣସି ପ୍ରକାଶନର ଆବଶ୍ୟକତା ନାହିଁ (ପ୍ରକାଶିତ ବାକ୍ୟ 22: 18-19; ହିତୋପଦେଶ 30: 5-6)। ପରମେଶ୍ୱର ଏହି ସର୍ବୋଚ୍ଚ ମାନଦଣ୍ଡ ଦ୍ୱାରା ମନୁଷ୍ୟର ସମସ୍ତ ଆଚରଣ, ବିଶ୍ୱାସ ଏବଂ ମତକୁ ବିଚାର କରିବେ (ଏବ୍ରୀ 4: 12-13)।
2. ଏକମାତ୍ର ସତ୍ୟ ପରମେଶ୍ୱର
ଆମେ ବିଶ୍ୱାସ କରୁ ଯେ ଏକମାତ୍ର ସତ୍ୟ ଓ ଜୀବନ୍ତ ପରମେଶ୍ୱର ଅଛନ୍ତି (ଦ୍ୱିତୀୟ ବିବରଣ 6: 4) । ସେ ଅସୀମ, ଅନିର୍ମିତ, ଅନନ୍ତ, ସୁବୋଧ ଆତ୍ମା ଅଟନ୍ତି (ଯିଶାଇୟ 40:28) । ସେ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଏବଂ ସ୍ୱର୍ଗ ଓ ପୃଥିବୀର ସାର୍ବଭୌମ ଶାସକ ଅଟନ୍ତି (ପ୍ରକାଶିତ ବାକ୍ୟ 4:11)। ତାହାଙ୍କର ପବିତ୍ରତା ଏତେ ଗୌରବମୟ ଯେ ତାହା ଅବର୍ଣ୍ଣନୀୟ ଅଟେ ଏବଂ ସେ ଆମର ଉପାସନା,ସମ୍ମାନ ଏବଂ ସେବାର ଯୋଗ୍ୟ ଅଟନ୍ତି (ଯିଶାଇୟ 6 : 3) । ପରମେଶ୍ୱର ତାହାଙ୍କର ପବିତ୍ରତା, ନ୍ୟାୟ, ବୁଦ୍ଧି, ଦୟା, ଏବଂ ପ୍ରେମରେ ଅପରିବର୍ତ୍ତନୀୟ ଅଟନ୍ତି (ଗଣନା 23:19; ଯାକୁବ 1:17) । ଏବଂ ପରମେଶ୍ୱର ଆପଣାର ସମ୍ପୂର୍ଣ୍ଣ ସିଦ୍ଧତାରେ ସମସ୍ତ ବିଷୟ ଆପଣାର ଗୌରବ ନିମନ୍ତେ କରନ୍ତି (ଯିଶାଇୟ 48: 9, 11)। ଯେଉଁ ପର୍ଯ୍ୟନ୍ତ ପରମେଶ୍ୱର ଆପଣାର ଅନୁଗ୍ରହରେ ନିଜକୁ ପ୍ରକାଶିତ ନ କରନ୍ତି ସେ ପର୍ଯ୍ୟନ୍ତ ପାପୀ ମାନବ ଜାତି ତାହାଙ୍କୁ ଜାଣିନପାରେ (ରୋମୀୟ 3: 11) ।
ଏହି ଏକମାତ୍ର ସତ୍ୟ ଜୀବନ୍ତ ପରମେଶ୍ୱର ଅନାଦି କାଳରୁ ତିନି ବ୍ୟକ୍ତିରେ, ସହ-ଅସ୍ତିତ୍ୱରେ ଅଛନ୍ତି: ପିତା, ପୁତ୍ର ଏବଂ ପବିତ୍ର ଆତ୍ମା (ମାଥିଉ 28: 19 ; ଯୋହନ 14: 26 ; 2 କରିନ୍ଥୀୟ 13: 14)। ଇଶ୍ୱରଙ୍କ ଗୌରବ ପାଇଁ, ଆମର ପରିତ୍ରାଣକୁ କାର୍ଯ୍ୟକାରୀ କରିବାରେ ତ୍ରିଏକ ପରମେଶ୍ୱରଙ୍କ ତିନି ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଭୂମିକା ରହିଛି, କିନ୍ତୁ ସେମାନଙ୍କ ମଧ୍ୟରେ ଉଦ୍ଦେଶ୍ୟର ଏକ ସିଦ୍ଧ ଏକତା ଅଛି (1 ପିତର 1: 2) ।
3.ପରମେଶ୍ୱର ପୁତ୍ର
ଆମେ ବିଶ୍ୱାସ କରୁ ଯେ ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି (ମାର୍କ 1:1)। ସେ ସତ୍ୟ ପରମେଶ୍ୱରଙ୍କ ଏକମାତ୍ର ଶରୀର ଧାରୀ (ଏକମାତ୍ର ଅବତାର) ଅଟନ୍ତି, ଯିଏ ମନୁଷ୍ୟ ସମ୍ମୁଖରେ ପରମେଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରକଟ କରନ୍ତି (ଯୋହନ 1: 14; କଲସୀୟ 1:15-16) । ଯୀଶୁ ଖ୍ରୀଷ୍ଟଙ୍କଠାରେ, ପରଲୌକିକ/ସର୍ବୋଚ୍ଚ ପରମେଶ୍ୱର ଆମ ମଧ୍ୟରେ ଆସିଲେ (ଯୋହନ 1: 18) । ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ବାସ୍ତବ ପରମେଶ୍ୱର ଏବଂ ବାସ୍ତବ ମନୁଷ୍ୟ (1 ଯୋହନ 5:20; ଏବ୍ରୀ 2:17)। ଆମେ ବିଶ୍ଵାସ କରୁ ଯେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୁକ ଗର୍ଭସ୍ଥ ହେଲେ, କୁମାରୀ ଠାରୁ ଜନ୍ମ ନେଲେ (ମାଥିଉ 1:20, 23), ପାପରହିତ ଜୀବନ ଯାପନ କଲେ, ପାପୀମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଦଣ୍ଡ ବହନ (ପ୍ରାୟଶ୍ଚିତ) କରି (1 ଯୋହନ 2:1), ଆପଣା ରକ୍ତ ଦ୍ୱାରା ସେମାନଙ୍କୁ ମୁକ୍ତି ପ୍ରଦାନ କରି (ଏଫିସୀୟ 1:7) ପାପୀମାନଙ୍କ ବଦଳରେ କ୍ରୁଶ ଉପରେ ମୃତ୍ୟୁଭୋଗ (ଦଣ୍ଡ-ଯୋଗ୍ୟ ପ୍ରତିବଦଳକ୍ଷମ ପ୍ରାୟଶ୍ଚିତ ସାଧନ) କଲେ। ସେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ (ପ୍ରେରିତ 2:23-24), ସ୍ଵର୍ଗାରୋହଣ କଲେ (ପ୍ରେରିତ 1:10), ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଛନ୍ତି (ଏବ୍ରୀ 1:3), ପୁଣି ପରମେଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ହୋଇ (1 ତିମଥି 2:5), ପିତାଙ୍କ ଉପସ୍ଥିତିରେ ସେ ଆପଣା ଲୋକମାନଙ୍କ ନିମନ୍ତେ ନିବେଦନ (ମଧ୍ୟସ୍ଥ ପ୍ରାର୍ଥନା) କରନ୍ତି (ରୋମୀୟ 8:34)।
4.ପରମେଶ୍ୱର ପବିତ୍ର ଆତ୍ମା
ଆମେ ବିଶ୍ଵାସ କରୁ ଯେ ଖ୍ରୀଷ୍ଟଙ୍କୁ ମହିମାନ୍ଵିତ କରିବା ପାଇଁ ଏବଂ ଲୋକମାନଙ୍କ ଜୀବନରେ ପରିତ୍ରାଣର କାର୍ଯ୍ୟକୁ ପ୍ରୟୋଗ କରିବା ପାଇଁ ପବିତ୍ର ଆତ୍ମାଙ୍କୁ ସ୍ଵର୍ଗରୁ ପିତାଙ୍କ (ଯୋହନ 14: 26) ପୁଣି ପୁତ୍ରଙ୍କ ଦ୍ୱାରା (ଯୋହନ 15: 26) ପ୍ରେରଣ କରାଯାଇଛି। ସେ ପାପ ବିଷୟରେ ଜଗତକୁ ହୃଦବୋଧ ଦିଅନ୍ତି, ପାପର ପ୍ରମାଣ ଦିଅନ୍ତି (ଯୋହନ 16:8), ନୁଆ ଜନ୍ମ (ନୂତନ ଜୀବନ) ପ୍ରଦାନ କରନ୍ତି (ଯୋହନ 3:5) ଏବଂ ଶାସ୍ତ୍ରର ପ୍ରକୃତ ଅର୍ଥକୁ ବୁଝିବା ପାଇଁ ବୁଦ୍ଧି ପ୍ରଦାନ କରନ୍ତି । ସମସ୍ତ ପ୍ରକୃତ ବିଶ୍ୱାସୀମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହୋଇଛନ୍ତି (1 କରିନ୍ଥୀୟ 12:13), ଏବଂ ସେ ସେମାନଙ୍କ ଅନ୍ତରରେ ବାସ କରି (1 କରିନ୍ଥୀୟ 6:19), ପରିତ୍ରାଣର ନିଶ୍ଚିତତା ପ୍ରଦାନ କରନ୍ତି, ଏବଂ ସେ ସେମାନଙ୍କୁ ଶାସ୍ତ୍ର ଅନୁଯାୟୀ ଈଶ୍ୱରପରାୟଣ ଜୀବନଯାପନ କରିବାକୁ ସକ୍ଷମ କରନ୍ତି (ରୋମୀୟ 8:13-14)। ସେ ବିଶ୍ୱାସୀଙ୍କୁ ଖ୍ରୀଷ୍ଟଙ୍କ ଶରୀରରେ ସଂଯୁକ୍ତ କରନ୍ତି, ମଣ୍ଡଳୀ ଗଠନ କରନ୍ତି ଏବଂ ଏହାର ସଦସ୍ୟମାନଙ୍କୁ ଉପାସନା, ସେବା ତଥା ସୁସମାଚାର ପ୍ରଚାର କରିବାରେ ଶକ୍ତି/ସାମର୍ଥ୍ୟ ପ୍ରଦାନ କରନ୍ତି (ଏଫିସୀୟ 5:18-20)। ମଣ୍ଡଳୀର ନିର୍ମାଣ ପାଇଁ ତାଙ୍କ ଇଚ୍ଛା ଅନୁଯାୟୀ ମଣ୍ଡଳୀର ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ବରଦାନ ଦେଇ ସେ ଏହା କରନ୍ତି (1 କରିନ୍ଥୀୟ 12:4 -6)। (ଏଥିର ଅର୍ଥ କେହି ବି ଖ୍ରୀଷ୍ଟିଆନ ହେବା ପାଇଁ କିମ୍ବା ଅଧିକ ଆତ୍ମିକ ହେବା ପାଇଁ କୌଣସି ନିର୍ଦ୍ଧିଷ୍ଟ ଦାନର ଉପସ୍ଥିତି ଆବଶ୍ୟକ କରିବା ଉଚିତ୍ ନୁହେଁ।)
5. ମନୁଷ୍ୟ
ଆମେ ବିଶ୍ୱାସ କରୁ ଯେ ମନୁଷ୍ୟକୁ ପରମେଶ୍ୱର ଆପଣାର ପ୍ରତିମୂର୍ତ୍ତିରେ ସୃଷ୍ଟି/ନିର୍ମାଣ କଲେ (ଆଦିପୁସ୍ତକ 1:26-27)। ପରମେଶ୍ୱର ପୁରୁଷ ଏବଂ ସ୍ତ୍ରୀ କରି, ସମାନ ମାନ୍ୟତା ଓ ମୂଲ୍ୟ ସହ କିନ୍ତୁ ପୃଥକ ପୃଥକ ଭୂମିକା ସହ ମନୁଷ୍ୟକୁ ସୃଷ୍ଟି କଲେ (ଆଦିପୁସ୍ତକ 1:27; 2:18)। (ଏହାର ନିଶ୍ଚିତୀକରଣ ଲିଙ୍ଗଭେଦ ଭୂମିକାର ପରିପୂରକ (କୋମ୍ପ୍ଲିମେଣ୍ଟେରିୟନ) ବିଚାରଧାରାରେ କରାଯାଇଛି)।
ମନୁଷ୍ୟର ଅସ୍ତିତ୍ଵର ଉଦ୍ଦେଶ୍ୟ ହେଉଛି ପରମେଶ୍ୱରଙ୍କ ଉପାସନା କରିବା, ଆଜ୍ଞାକାରୀ ହେବା, ତାହାଙ୍କୁ ପ୍ରେମ କରିବା ଏବଂ ପରମେଶ୍ୱରଙ୍କ ଆନନ୍ଦ ନେବା ଦ୍ୱାରା ତାହାଙ୍କର ମହିମାନ୍ୱିତ କରିବା (ଗୀତସଂହିତା 37: 4; ପ୍ରକାଶିତ ବାକ୍ୟ 4:11)। କିନ୍ତୁ ପାପ କାରଣରୁ, ଆମ ହୃଦୟର ସମସ୍ତ ଅଭିପ୍ରାୟ ଭ୍ରଷ୍ଟ ଅଟେ ଏବଂ ଆମର ସ୍ୱଭାବ ପ୍ରଦ୍ୟୁଷିତ (ସମ୍ପୂର୍ଣ୍ଣ ଭ୍ରଷ୍ଟ) ଅଟେ (ଆଦିପୁସ୍ତକ 6:5; ରୋମୀୟ 5:12)। ଆମେ ଉଭୟ ସ୍ୱଭାବ ଏବଂ କାର୍ଯ୍ୟ ଦ୍ୱାରା ପାପୀ ଅଟୁ (1 ଯୋହନ 1:8, 10), ଏବଂ ପ୍ରତ୍ୟେକ ଅପଶ୍ଚାତାପୀ (ଆଧ୍ୟାତ୍ମିକ ଭାବରେ ମୃତ) ମନୁଷ୍ୟ ପରମେଶ୍ୱରଙ୍କ ସିଦ୍ଧ, ଧାର୍ମିକ ଏବଂ ଅନନ୍ତ କ୍ରୋଧର ଅଧିନରେ ରହିଅଛି (ରୋମୀୟ 1:18; ଏଫିସୀୟ 2:3) । ଆମ ପାଇଁ ନିଶ୍ଚିତ ଭାବରେ ଆମର ପାପର କ୍ଷମା ଏବଂ ଏକମାତ୍ର ପବିତ୍ର ପରମେଶ୍ୱରଙ୍କ ସହ ପୁନର୍ମିଳନର ଆବଶ୍ୟକତା ରହିଛି (ଏବ୍ରୀ 9:27)।
6. ପରିତ୍ରାଣ
ପରିତ୍ରାଣର ଅର୍ଥ ହେଉଛି ଆତ୍ମିକ ଭାବେ ନୂଆ ଜନ୍ମ (ଯୋହନ 3:3), ଆମ ପାପର ଦଣ୍ଡରୁ କ୍ଷମା ପ୍ରାପ୍ତ କରିବା (1 ଯୋହନ 2:2), ଏକମାତ୍ର ସତ୍ୟ ପରମେଶ୍ୱରଙ୍କ ସହିତ ମିଳିତ ହେବା (ରୋମୀୟ 5:1), ପ୍ରକୃତ ଅନନ୍ତ ଆତ୍ମିକ ଶାନ୍ତିର ଅନୁଭୁତି ଲାଭ କରିବା ଏବଂ ଅନନ୍ତ ଆତ୍ମିକ ଜୀବନର ନିଶ୍ଚିତତା (ଜୀବନ ପରେ ଜୀବନ) ପାଇବା (1 ପିତର 1 :3)।
ଆମେ ବିଶ୍ୱାସ କରୁ ଯେ ପରିତ୍ରାଣ କେବଳ ଅନୁଗ୍ରହ ଦ୍ୱାରା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ହୋଇଥାଏ (ଏଫିସୀୟ 2:8; ତୀତସ 3:5)। ଏହା ଆମର କାର୍ଯ୍ୟ (ରୀତିନୀତି, ଧାର୍ମିକତା, ନୈତିକତା କିମ୍ବା ଆମ୍ଭମାନଙ୍କ ଆତ୍ମ-ପ୍ରୟାସ) ସକାଶୁ ନୁହେଁ (ଏଫିସୀୟ 2:9)। ପରିତ୍ରାଣର କାର୍ଯ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ କ୍ରୁଶରେ ତାହାଙ୍କ ମୃତ୍ୟୁ ଦ୍ୱାରା ସମ୍ପନ୍ନ କରାଯାଇଅଛି, ଏବଂ ଏହା ସେମାନଙ୍କୁ ମୁକ୍ତ ଭାବରେ ଦିଆଯାଇଥାଏ ଯେଉଁମାନେ ସୁସମାଚାର ଶୁଣି ସେଠାରେ ବିଶ୍ୱାସ କରିଥାନ୍ତି (ଯୋହନ 3:16)। ଆପଣା ପ୍ରେମ ସକାଶୁ, ପରମେଶ୍ୱର ଆପଣା ଲୋକମାନଙ୍କୁ ମନୋନୀତ କରନ୍ତି (ଏଫିସୀୟ 1:4), ପୂର୍ବ-ନିରୂପିତ କରନ୍ତି, ପୋଷ୍ୟସନ୍ତାନ ଭାବେ ଗ୍ରହଣ କରନ୍ତି (ଏଫିସୀୟ 1:5), ମୁକ୍ତି ଦିଅନ୍ତି, କ୍ଷମା ପ୍ରଦାନ କରନ୍ତି (ଏଫିସୀୟ 1:7), ଧାର୍ମିକ ଗଣିତ କରନ୍ତି, ପବିତ୍ର କରନ୍ତି, ପୁଣି ଗୌରବ ପ୍ରଦାନ କରନ୍ତି (ରୋମୀୟ 8:30)।
7. ଧାର୍ମିକ ଗଣିତ ହେବା ଏବଂ ପବିତ୍ରୀକରଣ
ଆମେ ବିଶ୍ୱାସ କରୁ ଯେ ଧାର୍ମିକ ଗଣିତ ହେବା ସୁସମାଚାରର ସେହି ମହା ଆଶୀର୍ବାଦ ଅଟେ ଯାହା ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଖ୍ରୀଷ୍ଟିୟମାନେ ପ୍ରାପ୍ତ ହୁଅନ୍ତି । ଏହା ଏକ ଆଇନଗତ/ନ୍ୟାୟସଙ୍ଗତ କାର୍ଯ୍ୟ ଯେଉଁଥିରେ ପରମେଶ୍ୱର ମନୁଷ୍ୟମାନଙ୍କୁ ଆପଣା ଦୃଷ୍ଟିରେ ଧାର୍ମିକ ବୋଲି ଘୋଷଣା କରନ୍ତି, କାରଣ ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କର ସମସ୍ତ ପାପ ମୁକ୍ତ ଭାବରେ କ୍ଷମା କରାଯାଇଅଛି ଏବଂ ଖ୍ରୀଷ୍ଟଙ୍କ ଧାର୍ମିକତାକୁ ସେମାନଙ୍କ ନିଜର ଭାବରେ ଗଣିତ (ଆରୋପିତ) କରାଯାଏ (ରୋମୀୟ 4:25 ; 5:1)। ଏହା ପରମେଶ୍ୱରଙ୍କର ଏକ ତାତ୍ କାଳିକ କାର୍ଯ୍ୟ ଅଟେ, ଯେଉଁଥିରେ ସେ ଆପଣାର ଅନୁଗ୍ରହ ହେତୁ ପାପୀମାନଙ୍କୁ ଠିକ୍ ଏବଂ ଧାର୍ମିକ ବୋଲି ଘୋଷଣା କରନ୍ତି। ଅନ୍ୟ ଅର୍ଥରେ, ଧାର୍ମିକ ଗଣିତ ହେବାରେ, ପାପୀ ଲୋକମାନଙ୍କୁ ଖ୍ରୀଷ୍ଟ-ସଦୃଶ୍ୟ ବୋଲି ଘୋଷିତ କରାଯାଏ। ଧାର୍ମିକ ଗଣିତ ହେବା କେବଳ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ଦ୍ୱାରା, କେବଳ ଅନୁଗ୍ରହ ମାଧ୍ୟମରେ ପ୍ରାପ୍ତି ହୁଏ (ଗାଲାତୀୟ 2:16; ରୋମୀୟ 3: 24,28)।
ଅନ୍ୟ ପକ୍ଷରେ, ପବିତ୍ରୀକରଣ, ଖ୍ରୀଷ୍ଟଙ୍କ ଅନୁରୂପ ହେବାର ଏକ ପ୍ରଗତିଶିଳ କାର୍ଯ୍ୟ ଅଟେ। ଏହା ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଏକ ବାସ୍ତବ ଆଭ୍ୟନ୍ତରୀଣ ଆତ୍ମିକ ପରିବର୍ତ୍ତନ ଅଟେ ଯାହା ଦ୍ଵାରା ଆମେ ପରମେଶ୍ୱରଙ୍କ ପବିତ୍ରତାର ଅଂଶି କରାଯାଇଥାଉ (ଯୋହନ 17:17, 19)। ଏହି କାର୍ଯ୍ୟ ଆମର ନୂତନ ଜନ୍ମ ସମୟରେ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ପବିତ୍ର ଆତ୍ମାଙ୍କ ଉପସ୍ଥିତି ଓ ଶକ୍ତି ଦ୍ୱାରା ବିଶ୍ଵାସୀର ହୃଦୟ ଓ ଜୀବନରେ ଆଗକୁ ବଢ଼ିବା ଜାରି ରହିଛି (ଫିଲିପପୀୟ 1:6; ଗାଲାତୀୟ 5:22-23)। ଯେବେ ଆମେ ଆମପ୍ରତି ପ୍ରଦତ୍ତ ସଂଶାଧନସମୂହର ଉପଯୋଗ କରିଥାଉ ଯେପରିକି ପରମେଶ୍ୱରଙ୍କ ବାକ୍ୟ, ବିଶ୍ୱାସୀମାନଙ୍କ ସହଭାଗିତା, ପ୍ରାର୍ଥନା, ଆତ୍ମ-ପରୀକ୍ଷଣ, ଆପଣାକୁ ଅସ୍ୱୀକାର କରିବା, ଜାଗ୍ରତ ରହିବା ଇତ୍ୟାଦି, ତେବେ ସେ ଆମ ମଧ୍ୟରେ କାର୍ଯ୍ୟ କରଥା’ନ୍ତି ଏବଂ ଆମକୁ ଖ୍ରୀଷ୍ଟଙ୍କ ଅନୁରୂପରେ ଗଢ଼ିଥାନ୍ତି/ତିଆରି କରିଥାନ୍ତି (2 କରିନ୍ଥୀୟ 3:18 ; ଫିଲିପପୀୟ 2:12-13)।
8. ଆତ୍ମିକ ନୂଆ ଜନ୍ମ (ମନ ପରିବର୍ତ୍ତନ/ ନୂଆ ଜନ୍ମ)
ଆମେ ବିଶ୍ଵାସ କରୁ ଯେ ସମସ୍ତ ମନୁଷ୍ୟ, ସେମାନଙ୍କ ଜାତି, ରଙ୍ଗ ଅଥବା ମତ ନିର୍ବିଶେଷରେ ଆପଣା ଆପଣା ପାପରେ ମୃତ ହେଇ ଜନ୍ନ ଗ୍ରହଣ କରିଥାନ୍ତି (ରୋମୀୟ 3:10; ଏଫିସୀୟ 2:1)। ସେମାନେ ନିଜ ଉଦ୍ୟମରେ ଆପଣାକୁ ରକ୍ଷା କରିବାକୁ ଅସମର୍ଥ ଅଟନ୍ତି। ଆତ୍ମିକ ନୂଆ ଜନ୍ମରେ ପବିତ୍ର ଆତ୍ମା ମନ ପରିବର୍ତ୍ତନ କରନ୍ତି (ଯିହିଜିକଲ 36:26; ଯୋହନ 3:5-6), ପାପରେ ମୃତ ଲୋକମାନଙ୍କୁ ନୂଆ ଜନ୍ମ ପ୍ରଦାନ କରନ୍ତି (ଏଫିସୀୟ 2:5), ଏବଂ ସୁସମାଚାରରେ ବିଶ୍ଵାସ କରିବା ପାଇଁ, ପୁଣି ଆପଣା ପାପରୁ ଅନୁତାପ କରିବା ପାଇଁ କ୍ଷମତା ପ୍ରଦାନ କରନ୍ତି (ଏଫିସୀୟ 1:13; 1 ପିତର 1:23-25)। ବାଇବଲ ଅନୁଯାୟୀ, ଆତ୍ମିକ ନୂଆ ଜନ୍ମ (ମନ ପରିବର୍ତ୍ତନ) ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ଅଲୌକିକ, ଆନ୍ତରିକ, ଆତ୍ମିକ, ଅଦୃଶ୍ୟ କାର୍ଯ୍ୟ ଆଉ ଏହା ବଳ ପ୍ରୟୋଗ, ପ୍ରଲୋଭନ, କିମ୍ବା ଲାଳସା ଦ୍ୱାରା କରାଯାଇନପାରେ (ତୀତସ 3:5-7)।
9. ବାପ୍ତିସ୍ମ ଏବଂ ପ୍ରଭୁଭୋଜ
ଆମେ ବିଶ୍ଵାସ କରୁ ଯେ ବାପ୍ତିସ୍ମ ଓ ପ୍ରଭୁଭୋଜ ମଣ୍ଡଳୀରେ ସୁସମାଚାର ପ୍ରଦର୍ଶନ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପିତ ଦୁଇଟି ବିଧି ଅଟେ। ଖ୍ରୀଷ୍ଟିୟ ବାପ୍ତିସ୍ମରେ, ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ଆମ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ଵାସ ଓ ଆଜ୍ଞାକାରୀତା ଧାରଣ କରନ୍ତି ତାଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ଜଳରେ ଡୁବାଇ ବାପ୍ତିସ୍ମ କରାଯାଏ (ମାଥିଉ 28:19)। ଏହା ପାପ ପ୍ରତି ଆମର ମୃତ୍ୟୁ ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ନୂତନ ଜୀବନ ପ୍ରତି ପୁନରୁତ୍ଥିତ ହେବାର ପ୍ରତୀକ ଅଟେ (ରୋମୀୟ 6:3-4)। ବାପ୍ତିସ୍ମ ଆମକୁ ପରିତ୍ରାଣ ପ୍ରଦାନ କରିନଥାଏ, କିନ୍ତୁ ଏହା ଜଣେ ଖ୍ରୀଷ୍ଟିଆନ ମଧ୍ୟରେ ପବିତ୍ର ଆତ୍ମାଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟର ଏକ ବାହ୍ୟ ପ୍ରମାଣ ଅଟେ। ଏହା ଏଭଳି ଏକ କାର୍ଯ୍ୟ ଯେଉଁଥିରେ ଜଣେ ବିଶ୍ୱାସୀ ସର୍ବ-ସମକ୍ଷରେ ଖ୍ରୀଷ୍ଟଙ୍କ ପ୍ରତି ସମର୍ପିତ ହୁଏ, ଯାହା ଖ୍ରୀଷ୍ଟଙ୍କ ସହ ମିଳନର, ମଣ୍ଡଳୀରେ ପ୍ରବେଶ, ପୁଣି ଜଗତରୁ ପୃଥକ୍ ହେବାର କାର୍ଯ୍ୟକୁ ପ୍ରଦର୍ଶିତ କରିଥାଏ (ପ୍ରେରିତ 2:41)।
ପ୍ରଭୁଭୋଜ ବାପ୍ତିଜିତ ବିଶ୍ୱାସୀମାନଙ୍କ ଦ୍ୱାରା ମଣ୍ଡଳୀରେ କୃଶ ଉପରେ ଖ୍ରୀଷ୍ଟଙ୍କର ନିର୍ଣ୍ଣାୟକ/ଚୂଡ଼ାନ୍ତ ବଳିଦାନର ସ୍ମରଣରେ ପାଳନ କରାଯାଇଥାଏ (ଲୂକ 22:14-20)। ପ୍ରଭୁଭୋଜରେ, ରୋଟି ଓ ଦ୍ରାକ୍ଷାରସ ଯୀଶୁଙ୍କ ଶରୀର ଓ ତାହାଙ୍କ ରକ୍ତର ପ୍ରତୀକ ଅଟେ ଯାହା ତାହାଙ୍କ ଲୋକମାନଙ୍କ ପାପର କ୍ଷମା ନିମନ୍ତେ ଖଣ୍ଡବିଖଣ୍ଡିତ ଓ ପାତିତ ହୋଇଥିଲା (1 କରିନ୍ଥୀୟ 11:24-25)। ଉପାଦାନ (ରୋଟି ଓ ଦ୍ରାକ୍ଷାରସ) କୌଣସି ପ୍ରକାରେ ସେମାନଙ୍କର ଅସ୍ତିତ୍ୱର ପରିବର୍ତ୍ତନ କରେ ନାହିଁ । ପ୍ରଭୂଭୋଜ ମଣ୍ଡଳୀ ପାଇଁ ଗମ୍ଭୀର ଆତ୍ମ-ପରୀକ୍ଷଣ ନିମନ୍ତେ ଏକ ସୁଯୋଗ ଅଟେ (1 କରିନ୍ଥୀୟ 11:28)। ଏହା ମଧ୍ୟ ଏକ ଆନନ୍ଦଦାୟକ ଉତ୍ସବ ଯେଉଁଥିରେ ଆମେ ଏକ ପରିବାର ଭାବରେ ଏକତ୍ରିତ ହୋଇ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରେମରେ ମୃତ୍ୟୁଭୋଗ କରିଥିବା ବିଷୟରେ ସ୍ମରଣ କରିଥାଉ। ଖ୍ରୀଷ୍ଟଙ୍କ ପୁନରାଗମାନ ଯାଏ ମଣ୍ଡଳୀ ଏକତାର ସହ ଏହି ବିଧି ପାଳନ କରିବାକୁ ଜାରି ରଖିବା ଆବଶ୍ୟକ (1 କରିନ୍ଥୀୟ 11:26)।
10.ମଣ୍ଡଳୀ
ଆମେ ସବୁ ଯୁଗର ସମସ୍ତ ବିଶ୍ୱାସୀଙ୍କ ଆଧ୍ୟାତ୍ମିକ ଏକତା ଉପରେ ବିଶ୍ୱାସ କରୁ, ସେମାନେ କୌଣସି ଜାତି, ଦେଶ କିମ୍ବା ଭାଷାର ମଧ୍ୟ ହେଇପାରନ୍ତି । ସେମାନେ ସମସ୍ତେ ଖ୍ରୀଷ୍ଟଙ୍କ ଶରୀର, ବିଶ୍ୱବ୍ୟାପି ମଣ୍ଡଳୀର ଏକ ଅଙ୍ଗ ଅଟନ୍ତି, ଯାହାର ଏକମାତ୍ର ମସ୍ତକ ଖ୍ରୀଷ୍ଟ ଅଟନ୍ତି (ମାଥିଉ 16: 18 ; ଏଫିସୀୟ 1: 22 –23; କଲସୀୟ 1: 18) । ଏହି ବିଶ୍ୱବ୍ୟାପି ମଣ୍ଡଳୀ ସ୍ଥାନୀୟ ମଣ୍ଡଳୀ ଗୁଡ଼ିକରେ ସିଧାସଳଖ ଦେଖାଦେଇ ଥାଏ। ପ୍ରତ୍ୟେକ “ସ୍ଥାନୀୟ ମଣ୍ଡଳୀ” ଇଶ୍ୱରଙ୍କ ପରିବାର ଅଟେ (ଏଫିସୀୟ 2: 19), ଜୀବନ୍ତ ଇଶ୍ୱରଙ୍କ ମଣ୍ଡଳୀ ଅଟେ ଏବଂ ସତ୍ୟର ସ୍ତମ୍ଭ ଏବଂ ମୂଳଦୁଆ ଅଟେ (1 ତୀମଥି 3: 15)। ଏକ ସ୍ଥାନୀୟ ମଣ୍ଡଳୀ ଡୁବନ ନେଇଥିବା ବିଶ୍ୱାସୀଙ୍କ ଏକ ଗୋଷ୍ଠୀ, ଦଳ ଅଟେ, ଯେଉଁମାନେ ଇଶ୍ୱରଙ୍କ ଉପାସନା କରିବା ନିମନ୍ତେ, ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ, ବାକ୍ୟର ପ୍ରଚାର ଶୁଣିବା ନିମନ୍ତେ, ନେତୃତ୍ୱ ଏବଂ ଅନୁଶାସନ ଗ୍ରହଣ କରିବା ନିମନ୍ତେ, ସୁସମାଚାର ପ୍ରଚାର କରିବା ନିମନ୍ତେ, ଏବଂ ମଣ୍ଡଳୀର ବିଧିରେ ଅଂଶଗ୍ରହଣ କରିବା ପାଇଁ ନିୟମିତ ଭାବରେ ଏକତ୍ର ହେବା ପାଇଁ ଚୁକ୍ତି କରିଅଛନ୍ତି (ପ୍ରେରିତ 2: 42; ଏବ୍ରୀ 10: 24-25) । ମଣ୍ଡଳୀର ଉଦ୍ଦେଶ୍ୟ ହେଉଛି ଇଶ୍ୱରଙ୍କ ଗୌରବ ପ୍ରଦର୍ଶନ କରିବା (ଏଫିସୀୟ 3: 10) ।
ବାକ୍ୟ ଦ୍ୱାରା ସ୍ଥାନୀୟ ମଣ୍ଡଳୀକୁ ଦିଆଯାଇଥିବା ଦୁଇଟି କାର୍ଯ୍ୟାଳୟ ବା କାର୍ଯ୍ୟ ଅଛି – ପ୍ରାଚୀନମାନେ (ବିଷପ / ଅଧ୍ୟକ୍ଷ / ପାଳକ / ପାଷ୍ଟର), ଯେଉଁମାନେ ଶିକ୍ଷାଦାନ ଏବଂ ପ୍ରାର୍ଥନା ଦ୍ୱାରା ଉପାସନାର ନେତୃତ୍ବ ନିଅନ୍ତି (ପ୍ରେରିତ 20:28 ; 1 ତୀମଥି 3: 1, 8)। ଏବଂ ସେବକମାନେ (ଦୀକନ), ଯେଉଁମାନେ ବ୍ୟବହାରିକ ଭାବରେ ମଣ୍ଡଳୀର ସେବା କରନ୍ତି (ପ୍ରେରିତ 6: 2-3; 20:28; 1 ତୀମଥି 3: 1,8) । ଖ୍ରୀଷ୍ଟଙ୍କ ଶରୀରରେ ଏକତା ମଣ୍ଡଳୀ ଏବଂ ମଣ୍ଡଳୀମାନଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ, ଚିନ୍ତା ଏବଂ ଉତ୍ସାହରେ ପ୍ରକାଶିତ ହୁଏ । ମଣ୍ଡଳୀ ଗୁଡ଼ିକ ମଧ୍ୟରେ ପ୍ରକୃତ ସହଭାଗିତା ମିଳିଥାଏ ଯେଉଁଠାରେ ମଣ୍ଡଳୀ ଗୁଡ଼ିକ ସୁସମାଚାର ପ୍ରତି ବିଶ୍ୱସ୍ତ ଥାଆନ୍ତି (ଗାଲାତୀୟ 2: 9) ।
11. ଭବିଷ୍ୟତ
ଆମେ ବିଶ୍ୱାସ କରୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୁଗ ଶେଷରେ ଆପଣାର ମହିମାରେ ଆଗମନ କରିବେ (ପ୍ରେରିତ 1: 11; 1 କରିନ୍ଥୀୟ 4:5; ପ୍ରକାଶିତ ବାକ୍ୟ 22:20)। ପରମେଶ୍ୱର ମୃତମାନଙ୍କୁ ପୁନରୁତ୍ଥିତ କରିବେ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ସହିତ ଜଗତର ବିଚାର କରିବେ (1 କରିନ୍ଥୀୟ 15: 52; ଏବ୍ରୀ 9: 27)। ଦୁଷ୍ଟମାନଙ୍କୁ (ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି) ନର୍କରେ ଅନନ୍ତ ମୃତ୍ୟୁ ପାଇଁ ପଠାଯିବ, ଏବଂ ଧାର୍ମିକମାନେ (ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି) ନୂତନ ପୃଥିବୀ ଏବଂ ନୂତନ ସ୍ୱର୍ଗରେ ଅନନ୍ତ ଜୀବନ ପ୍ରାପ୍ତ ହେବ (ଯୋହନ 3:36; 5: 28-29; ପ୍ରେରିତ 24:15; ପ୍ରକାଶିତ ବାକ୍ୟ 20:15)। ନୂତନ ସୃଷ୍ଟିରେ ଆଉ ପାପ, ଅସୁସ୍ଥତା, ଯନ୍ତ୍ରଣା ଏବଂ ମୃତ୍ୟୁ ରହିବ ନାହିଁ (ଯିଶାଇୟ 65:17; ପ୍ରକାଶିତ ବାକ୍ୟ 21: 1, 4, 27)।
ଦସ୍ତଖତ : ……………………………………..
ନାମ : ………………………………………… ତାରିଖ : ……………………………………….